ଶିବାତ୍ମନ୍,
ଆପଣା ଗାଁ’ର ଶିଵମନ୍ଦିର ଶିଉଳି ପଡ଼ିଯାଉଛି, ଧନୀକି ବିଶ୍ବାସ ହଉନି,
ଦିଵ୍ୟତ୍ବର ସନ୍ଧାନରେ ଧନବ୍ଯୟ କରି ସେ ଛୁଟି ଯାଉଛି ଦୂରସ୍ଥ ଦେଵାଳୟ ।
ଅଥବା ସାଇ ମନ୍ଦିରରେ ମଣିଷର ନାହିଁ ନଥିବା ଥାଟପଟାଳି । ସେ କୁଆଡେ ଅବିକା ମାନସିକ ପୂରାଇବାରେ ଶୀଘ୍ରତମ ଦିଅଁ ! ( ହାୟ ବିଡମ୍ବନା ସାଇବାବାଙ୍କୁ ଜୀବଦ୍ଦଶାରେ ଅନେକ ସମୟରେ ଅଭୁକ୍ତ ଆଉ ଛିଣ୍ଡା ପିନ୍ଧି ରହିବାକୁ ପଡୁଥିଲା। ଥରେ ତେଲ ଟିକିଏ କେହି ଦେଲେନି ଯେ, ବାବାଙ୍କୁ ପାଣିରେ ଦୀପ ଜଳାଇବାକୁ ପଡ଼ିଥିଲା ।! ଅଥଚ ଆଜି ତାଙ୍କ ମନ୍ଦିର ସୁନା ଛାଉଣି ହୋଇଛି ! ଦୁର୍ମୂଲ୍ଯ ପଟ୍ଟବସ୍ତ୍ରରେ ଆବୃତ ହୋଇଛି ସମାଧି ! )
ଧାରା ଶ୍ରାବଣରେ ବୁଢା ବାପ ବିଲ ବେଉଷଣରେ ଥକି ପଡୁଥିଲା ବେଳେ ଟୋକା ପୁଅ ଗଞ୍ଜେଇ ଖାଇ ଜଳଭାର ଧରି ଅଭିଷେକ କରିବାକୁ ଯାଉଛି । ସେଥିପାଇଁ ଫୁଉଣି ଗୋଟିଏ ହନୁମନ୍ତ ପ୍ଯାଣ୍ଟ ଆଉ ମେଞ୍ଚାଏ ପ୍ଲାଷ୍ଟିକି ସାପ ଦରକାର ହେଉଛି ! ଏମନ୍ତ ବି ହେଲାଣି ଯେ ଝିଅବୋହୂ ମଧ୍ୟ ଏ’ ଭକ୍ତିରେ ଝାସ ଦେଇ ଭାର ବହିଲେଣି ! ସେମାନଙ୍କ ସହିତ ଗର୍ଜନାକ୍ଷମ ଡାକବାଜି ମଧ୍ୟ ପଟୁଆରରେ ସାମିଲ୍ ହେବା ଦେଖା ଗଲାଣି। ସେମାନେ ମଧ୍ୟ ଅଭିଷେକ କରି ଯିବେ !
ମନ୍ଦିର ପ୍ରାଙ୍ଗଣରେ ଯେଉଁ ଗଛ ଜନ୍ମିଲା ବା ରହିଲା ତା’ ବେଳା ଖରାପ ।ଆପଦମସ୍ତକ ଅସଂଖ୍ୟ ସଂସାରବାସନାର ସ୍ମରଣିକା ବନ୍ଧା ହୋଇ ଯାଉଛି ତା’ ଦେହରେ। କେବେ କେବେ ସେ ଭାର ବହି ନପାରି ଭାଙ୍ଗି ପଡୁଛି ତା’ର ଶାଖା ।
ପୂଜାରି ବହୁଧା ବନି ସାରିଲେଣି ପୂଜାର ଅରି ! ଦେବୋତ୍ତର ଅମାତ୍ଯଗୁଡିକ ତହୁଁ ବଳି ଅରି । ମନୁଷ୍ୟର ଭୟରେ ବିଚରା ଦିଅଁମାନେ କିଏ ଯୋଗନିଦ୍ରାରେ ଶୋଇ ଗଲେଣି ତ କେହି ବା ଅତିଶୟ ବିରକ୍ତିରୁ ନିର୍ବାସନ ନେଇ ଯାଉଛନ୍ତି ।
ଏପରି ସ୍ଥିତିରେ ଶିବରାତ୍ରି କିଏ ପାଳିବ କିପରି ପାଳିବ ସେଥିକି ନିଘା ନାହିଁ , ଶିବରାତ୍ରି କୋଉଦିନ ପାଳିତ ହେବ, ତା’ ଲାଗି କେତେ ଧୀମନ୍ତଙ୍କର ବିଦ୍ଯା ଲଢ଼େଇ ।
ଆଉ ଥୋକେ ଦୀନ ଦରିଦ୍ର ମାନଙ୍କ ଲାଗି ଏତେ ତରଳି ଯାଉଛନ୍ତି ଯେ ଭୋକିଲା ଗରିବଙ୍କୁ ନଦେଇ ଶିବଙ୍କ ଶୀର୍ଷରେ କ୍ଷୀର ଢାଳି ଦେଶର ସମ୍ପତ୍ତି କାହିଁକି ଅଯଥା ବ୍ଯୟ କରି ପକଉଛ ବୋଲି ବାହୁନା ପକାଉଛନ୍ତି !
ଆଉ ଏ’ ଆଦର୍ଶ କଥାଟିର ପ୍ରଚାର ଦାୟିତ୍ୱ ନିଜକୁ ନିଜେ ଘେନିଛନ୍ତି କୁଆଡେ ନରମତମ ଦିଲ୍-ବନ୍ତ କଳାକାର ଅମୀର ଖାଁ । ‘ସତ୍ଯମେବ ଜୟତେ’ର ବେଶ୍ କେଇ ଖଣ୍ଡ ଜନ-ଚାହିଦା-ବନ୍ତ ଚଳଛବି ଆଧାରରେ ଅମୀର ଏବେ କୁଆଡେ ଜଣେ ସମାଜସେବୀ । ସ୍ବୟଂ ସମାଜ ଯେତେବେଳେ ସେମାନଙ୍କର ଅତିରଙ୍କୁଣା ଅନୁଧାବକ , ସେତେବେଳେ ସମାଜକୁ ଏ’ ଧରଣର ରୂପବନ୍ତ ଜନେ କେଉଁ ପ୍ରକାରେ ‘ସେବା’ ଅଥବା ‘ସେବନ’ କରି ଯାଆନ୍ତି ତାହାର ବିବେଚନା କିଏ ବା କରିବ !
ଭାରତର ‘ସତ୍ଯମେବ ଜୟତେ’ ରୁ କୋଟି କୋଟି ଟଙ୍କା ନେଉଥିବା ଅମୀର ଭାରତବର୍ଷର ଦରିଦ୍ରମାନଙ୍କ ପାଇଁ କରିଛନ୍ତି କ’ଣ ? ( ଅବଶ୍ୟ ସେ ପାକିସ୍ଥାନରେ ବିପଦ ପଡିଲେ ଦିଆନିଆ କରନ୍ତି ବୋଲି ଅସହିଷ୍ଣୁ ଗେରୁଆମାନେ ନିନ୍ଦା କରନ୍ତି ।)
ଆଉ ଓଧ ସଙ୍ଗେ ବଣଭୁଆ ପରି ତେମେ ଯୋଉମାନେ ବାଇ ହଉଚ, ତେମେ ସତ କୁହ ତମ ଜୀବନରେ ତେମେ କେତେ ତ୍ଯାଗ କରିଛ ? କେଇ ଗଣ୍ଡା ଗରିବଙ୍କ ଜୀବନ ଆଲୁଅ କରିଛ ?
ବୃହତ୍ତର ତ୍ଯାଗ ଦୂର କଥା , ଲୋକେ ଅନାବଶ୍ୟକ ଭାବେ ଖାଇ ଖାଇ ଯେତିକି ପାପ କରୁଛନ୍ତି , ତା’ ଫଳରେ ମେଦୋବାହୁଲ୍ଯ ସହିତ ଅସଂଖ୍ୟ ରୋଗ — ଫଳତଃ ଚିକିତ୍ସା ଲାଗି ପୁନରାୟ ଧନବ୍ଯୟ ଏବଂ ସେଥିପାଇଁ ପୃଥିବୀଙ୍କୁ ସୁଦ୍ଧା କିଛି କମ୍ ମୂଲ୍ୟ ଦେବାକୁ ପଡ଼ୁନାହିଁ !
ତୁମମାନଙ୍କର ଅଯଥା ବିଳାସ ବ୍ଯସନ ହେତୁ ଧରଣୀ ଯେତେବେଳେ ପ୍ରଦୂଷିତା ଉତ୍ପୀଡ଼ିତା ହୁଅନ୍ତି , ସେତେବେଳେ କୁଆଡ଼େ ଯାଏ ବିବେକବୋଧ ? ଆଉ ଦେବାଳୟ ଦେବାର୍ଚ୍ଚନ ପ୍ରସଙ୍ଗରେ ଶତଜିହ୍ବ ହୋଇ ତର୍କ କର କିପରି ?
ମନେ ରଖ, ସୁଖ ତୁମର ଅଧିକାର ହୋଇପାରେ , ମାତ୍ର ବ୍ଯସନ ନୁହେଁ । ତାହା ପାପ , କାରଣ ତାହା ପୃଥିବୀ ମାଆଙ୍କର ପୀଡା, ଭବିଷ୍ଯର ବାଧକ । ସତ୍ସାହସ କରି ତାହାର ତ୍ୟାଗ କରି ପାରିବ କି ?
ବାକି ରହିଲା କ୍ଷୀରାଭିଷେକ ।
ଅଭିଷେକ କ୍ଷୀର ନଷ୍ଟ ହେବ – ଏ’ ଧାରଣା ତୁମକୁ ଦେଲା କିଏ ?
ତୁମରି ମନ୍ଦିର ଯଦି ସଂସ୍କୃତ ନହେଲା ସେଥିପାଇଁ ତୁମେ ନିଜେ ମଧ୍ୟ ଦାୟୀ ନୁହଁ କି ?
ଶାସ୍ତ୍ର କହନ୍ତି —
” ଅକାଳମୃତ୍ଯୁହରଣଂ ଜରାବ୍ଯାଧିନିବାରଣମ୍
ଶିବପାଦୋଦକଂ ପୀତ୍ବା ପୁନର୍ଜନ୍ମ ନ ବିଦ୍ଯତେ॥”
ଅର୍ଥାତ୍ , ଶିବଙ୍କ ସ୍ନାନଜଳ ପିଇ ପ୍ରାଣୀ ଜରା , ବ୍ଯାଧି , ଅକାଳମୃତ୍ଯୁ ତଥା ପୁନର୍ଜନ୍ମ-ମରଣର ଭୟାବହ ଚକ୍ରରୁ ମଧ୍ୟ ମୁକ୍ତ ହୋଇ ଯାଇପାରେ !
ସୁତରାଂ ସେ ପରମପାବନ ପାଦୋକ ଗୋଟିଏ ବିନ୍ଦୁ ସୁଦ୍ଧା ତଳେ ପଡିବା ଅର୍ଥ ତୁମେ ତାହାର ଅବମୂଲ୍ଯାୟନ/ଅବମାନନା କରୁଛ !
ସାବଧାନ, ତୁମେ ଅପରାଧୀ ।
ତେବେ କର୍ତ୍ତବ୍ୟ କ’ଣ ?
ସେହି ପାଦୋକ କ୍ଷୀର ନେଇ ତୁମେ ସହସ୍ର ଦରିଦ୍ରଙ୍କ ଜୀବନରେ ସେଚନ କରିପାର , ସେଥିରେ କେବଳ ଶାରୀରିକ ପୁଷ୍ଟି ନୁହେଁ ମାନସିକ ପ୍ରାଣିକ ଏପରିକି ଚୈତ୍ଯ ବିକାଶ ମଧ୍ୟ ହେବା ସମ୍ଭବ ।
( ଏଠାରେ କହି ରଖେ ଯେ ମନ୍ଦିର ବା ଦେବସ୍ଥାନ ଅପରିଷ୍କାର ରଖି ଅମ୍ଳୀଭୂତ ପାଦୋକ ପାଇବା କଥା ଶାସ୍ତ୍ର-ଶାସନ ନୁହେଁ । ପାଦୋକକୁଣ୍ଡ ନିଜର ଆହାରପାତ୍ର ପରି ଶୁଦ୍ଧ ସ୍ବଚ୍ଛ ରହିବା ଚାହି !
ସୂର୍ଯ୍ୟାଲୋକ ପଡି ଧତୁରା ଗୟଶ ଆଦି ଫୁଲ ସହିତ କ୍ଷୀର ଦହି ଆଦି ପଞ୍ଚାମୃତର ରାସାୟନିକ ସଂଯୋଗ ମନୁଷ୍ୟକୁ ଦେଇପାରେ ଅଭାବନୀୟ ଔଷଧି ! – ଆହା ବିଜ୍ଞାନିମନ୍ଯତାର ଏ’ କପୋଳକଳ୍ପନା ମଧ୍ୟ କେଡେ ଅଭାବନୀୟ !
କଦବା କ୍ବଚିତ୍ ଦୟାମୟ ମହାଦେବଙ୍କୁ ସୁଦ୍ଧା ଭାରତବାସୀର ଏତାଦୃଶ ବଦ୍ଧମୂଳ ଧାରଣା ଉପରେ ଦୟା କରିବାକୁ ପଡିଥାଏ – ଅଭାବ ନାହିଁ ଏପରି ନମୂନା ।
ମାତ୍ର ହାୟ , ବିଡମ୍ବନା ଏହି ଯେ, ସେହି ସହଜ ପନ୍ଥାଟି
ଦୟାର ମୂଲ୍ୟ ବୁଝୁନଥିବା ଉଲୁକେଶ୍ବରଧର୍ମୀ ସମାଜ ଆଗରେ
ପାଲଟି ଯାଏ ଅନୁସରଣୀୟ ଆଦର୍ଶ ତଥା ଯେହେତୁ ଅସତ୍ ,
କ୍ରମଶଃ ପ୍ରଭାବ ପ୍ରସାଦ ହରାଇ ଶଙ୍କା ସନ୍ଦେହ ଓ ପ୍ରଶ୍ନର ଶରବ୍ଯ ହୋଇପଡେ ଆଉ ଯଥାର୍ଥ ସମାଧାନ ନ ମିଳିଲେ ସେ କମନୀୟ କଥାଟି ସ୍ବଭାବସୁଲଭ ଆକର୍ଷଣ ହରାଇ ପରିତ୍ୟକ୍ତ ହୋଇଯାଏ । )
ତେବେ କାହିଁକି ହେବ କ୍ଷୀରାଭିଷେକ ?
ବିଜ୍ଞାନରୁଚି ଯୁବକମାନଙ୍କର ଏ’ ଜିଜ୍ଞାସା ଅମୂଳକ ନୁହେଁ ;
ମାତ୍ର ଦୀର୍ଘକାଳର ହୀନମନ୍ଯତା , ତଜ୍ଜାତ ଉପେକ୍ଷା ଓ ପୁନରପି ତଜ୍ଜନିତ ବିସ୍ମୃତି ଏହାର ଏକମାତ୍ର ହେତୁ ।
ଅଭିଷେକ ଦ୍ବାରା
ଶିବଲିଙ୍ଗ-ପାଷାଣ ଦୃଢ ହେବେ, ଦୀର୍ଘସ୍ଥାୟୀ ହେବେ
ଅଥବା ଶିବ ପ୍ରସନ୍ନ ହେବେ ବୋଲି ଯାହା
ଯଥାକ୍ରମେ ସମ୍ମାନନୀୟ ସଦ୍-ଗୁରୁ ଯାଗୀ ବାସୁଦେବ
ଓ ଭାଗବତକଥାକାର ଦେବକୀନନ୍ଦନ ଠାକୁରଙ୍କ ସ୍ପଷ୍ଟୀକରଣ
ତାହା ଠିକ୍ ; ତେବେ ସୂକ୍ଷ୍ମ ଅଧ୍ଯାତ୍ମର ଗତି ଆଉ ଟିକିଏ ଆଗକୁ ।
ଭାରତବର୍ଷର ସନାତନ ପଦ୍ଧତିରେ
ଯାହା କିଛି ମନୁଷ୍ୟ ଖାଇବ ତାହା ସେ ଲୋଭରେ ଖାଇବ ନାହିଁ।
ହିତକର ଖାଦ୍ୟ ଖାଇବ,
ଆବଶ୍ୟକ ଅନୁସାରେ ଖାଇବ
ଆଉ ସର୍ବୋପରି ସତ୍ ଉପାୟରେ ଉପାର୍ଜନ କରି ଖାଇବ ।
ତେବେ ମଧ୍ୟ ହେଲା ନାହିଁ ! —
ସେ ଅନ୍ଯ ଜୀବ ପରି ଖାଇବ ନାହିଁ !
ଭଗବାନଙ୍କୁ ସମର୍ପଣ କରି ତାଙ୍କ ପ୍ରସାଦ ପ୍ରାପ୍ତି କରିବ = ପାଇବ !!
ଆହା, ଏକାକୀ ମଧ୍ୟ ନୁହେଁ !
ପିତାମାତା ପରିବାର ଉପସ୍ଥିତ ଅତିଥି ଅଭ୍ଯାଗତ ପଶୁ ପକ୍ଷୀଙ୍କୁ ସୁଦ୍ଧା ଦେବାକୁ ହେବ !
⚘⚘⚘
କ୍ଷୀର ଦଧି ଘୃତ ଗୁଡ ଓ ମଧୁ – ଏହି ପାଞ୍ଚୋଟି ଦ୍ରବ୍ୟ ‘ପଞ୍ଚାମୃତ’ ନାମରେ ବିଶ୍ରୁତ । କ୍ଷୀରାଭିଷେକ ଦ୍ବାରା ପାର୍ଥିବ କ୍ଷୀର ଦିବ୍ୟ ବିଗ୍ରହ/ଲିଙ୍ଗଙ୍କ ଶରୀର ସ୍ପର୍ଶ ହେତୁ ଦିବ୍ୟ ଊର୍ଜା ଓ ଭାବ ସ୍ପନ୍ଦନ ବହନ କରେ ଏବଂ ସ୍ବଭାବତଃ ସେବନକାରୀକୁ ପ୍ରାପ୍ତ ହୁଏ । ସଗୁଣ ଉପାସନାରେ ମୂର୍ତ୍ତି ନିର୍ଜୀବ ନୁହଁନ୍ତି , ବରଂ ସାକ୍ଷାତ୍ ସଚ୍ଚିଦାନନ୍ଦ ବିଗ୍ରହ। ସୁତରାଂ ତାଙ୍କର ସ୍ନାନଜଳ ବା କ୍ଷୀର ପାଇବା କୋଟିସୌଭାଗ୍ଯର କଥା । ତାହା ତା’ ମାନସିକତାକୁ କ୍ରମଶଃ ଦିବ୍ୟତର କରିଥାଏ ।
ତେଣୁ ଧାରଣା ଦୂର କର । ସନାତନ ଭାରତବର୍ଷର ଉପାସନା ମାନବିକତାର ପରିପନ୍ଥୀ ନୁହେଁ , ବରଂ ମାନବଚେତନାକୁ ‘ଜୀବ’ ରୁ ‘ଶିବ’ ପର୍ଯ୍ୟନ୍ତ ଘେନିଯିବାର ମହାନ୍ ପରମ୍ପରା !
ଆଉ ଗୋଟିଏ କଥା ନ କହିଲେ କଥାଟି ଅପୂର୍ଣ୍ଣ ମନେ ହେବ ;
କେତେ କେତେ ଜିଜ୍ଞାସୁ ବ୍ରହ୍ମକୁମାରୀମାନଙ୍କଠାରୁ ଶୁଣି ବଡ଼ ଶଙ୍କାରେ ପଡ଼ି ଯାଆନ୍ତି ଯେ ଛୁଟି ଆସି ପଚାରନ୍ତି , ” ଶିବ ଆଉ ଶଙ୍କର କ’ଣ ଭିନ୍ନ ଭିନ୍ନ ? ”
ଏ’ ଅକିଞ୍ଚନର ନତଜାନୁ ପ୍ରାର୍ଥନା ,
” ଉତ୍ତର କୌତୁହଳୀର ନୁହେଁ, ଜିଜ୍ଞାସୁର ପ୍ରାପ୍ଯ ।
ସୁତରାଂ ଚଞ୍ଚଳ କୌତୁହଳ ପରିହାର କରି
ଯଥାର୍ଥ ଜିଜ୍ଞାସାରେ ସ୍ଥିର ହୋଇ ଧ୍ଯାନସ୍ଥ ହୁଅ ।”
ପରମାରାଧ୍ଯ ଶ୍ରୀ ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ଭାଷାରେ,
“ତାଙ୍କ ସହିତ ଦେଖା ହେଲେ
ଯାହା ଯାହା ସନ୍ଦେହ , ସେ’ସବୁ ପଚାରି ନବ ।”
କାରଣ ସେ ଊର୍ଦ୍ଧ୍ବତମ ଉତ୍ସରୁ ଉପଲବ୍ଧ ଶାନ୍ତି ଆଉ କେବେ ଚାଲିଯାଏ ନାହିଁ , ବରଂ ମାନବର ଚିରନ୍ତନ ସହାବସ୍ଥାନ କରିଥାଏ ।
କିମଧିକମ୍ ?
Author Sanatkumar Das:
One amongst the toppers of Ayurved college Puri, jointly Authored the book ‘Visual guide to medicinal flora of wild Orissa published by Govt. Odisha’, president of Dharma jagarana samanwaya bibhaga, Mayurbhanj Odisha, A sadhak in Sri Chaitanya Mahaprabhu’s Vaishnav Sect. Lifetime Participating in social cultural Reformation with pragmatic vision in applied spiritualism.